ଭାରତୀୟ ମହିଳା ଲିଗ୍‌ରୁ ସ୍ପୋର୍ଟସ ଓଡ଼ିଶା ବାଦ : ପଦାରେ ପଡ଼ିଲା ସରକାରୀ ବ୍ୟବସ୍ଥାର ଅପାରଗତା

ରାଉରକେଲା (ବ୍ୟୁରୋ) ଭାରତୀୟ ମହିଳା ଲିଗ୍‌ରୁ ବା ଆଇ ଡବ୍ଲୁ ଏଲ ଆଗାମୀ ୨୦୨୫ ସିଜିନ ରେ ଖେଳିବ ନାହିଁ ସ୍ପୋର୍ଟସ ଓଡ଼ିଶା। ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜିକରଣ କରିପାରି ନଥିବାରୁ ଭାରତର ଏକମାତ୍ର ପେଶାଦାର ମହିଳା ଫୁଟବଲ ଲିଗ୍ ଖେଳିବାରୁ ବଞ୍ଚିତ ହୋଇଛି ସ୍ପୋର୍ଟସ ଓଡ଼ିଶା । ସ୍ପୋର୍ଟସ ଓଡ଼ିଶା ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ଫୁଟ୍‌ବଲ୍‌ ଖେଳାଳୀଙ୍କ ଦଳ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଫୁଟବଲ୍ କୁ ଭଲ ପାଉଥିବା ଅନେକ ସମୟରେ କହୁଛନ୍ତି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ମଧ୍ୟ ଜଣେ ଯୁବକ ଏବଂ ଖେଳପ୍ରେମୀ। ଏସବୁ ସତ୍ତ୍ୱେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ନିର୍ବାଚନ ଜିତି ସରକାରରେ ଥିବା ମୋହନ ମାଝିଙ୍କ ନେତୃତ୍ୱାଧିନ ସରକାର ଥିବା ସମୟରେ ଏକ ପେଶାଦାର ଖେଳ ପାଇଁ ଯୋଗ୍ୟତା ହାସଲ କରି ସୁଦ୍ଧା ପ୍ରଶାସନିକ ବ୍ୟବସ୍ଥାରୁ ଖେଳର ଭାଗ ନ ନେଇପାରିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ଫୁଟବଲ୍ ପ୍ରେମୀ କହିଛନ୍ତି। ଓଡିଶାରୁ ଓଡ଼ିଶା ଏଫ୍ ସି ଓ ନିତା ଅମ୍ବାନୀ ଦଳ ଏହି ଲିଗ୍ ଖେଳିବାର ସୁଯୋଗ ହାସଲ କରିଛନ୍ତି। ସ୍ପୋର୍ଟସ ଓଡ଼ିଶା ଆଜି ଯାଏ ଖେଳିଥିବା ଏହି ଲିଗ୍ ରେ ଖୁବ୍ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ବେଳେ ଏଥର ଓ ଆଗାମୀ ସଂସ୍କରଣ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲା ।  ଏସବୁ ସତ୍ତ୍ୱେ ରାଜ୍ୟ କ୍ରୀଡା ବିଭାଗର ଦାୟିତ୍ୱହୀନତା ପାଇଁ ଏକ ସମ୍ମାନଜନକ ପ୍ରତିଯୋଗିତା ଖେଳି ନପରିବାକୁ ନେଇ ଖେଳାଳୀମାନେ ହତୋତ୍ସାହ ହୋଇଛନ୍ତି।

ଏଭଳି ସ୍ଥିତିରେ ଓଡ଼ିଶା ଫୁଟବଲ୍ ର ବିକାଶ ପାଇଁ କ୍ରୀଡ଼ା ବିଭାଗରେ କାର୍ଯ୍ୟରତ ସ୍ୱତନ୍ତ୍ର ଅଧିକାରୀ ତଥା ବିଶିଷ୍ଟ ଫୁଟ୍‌ବଲ୍‌ ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡାଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫୁଟବଲ୍ ର ବିକାଶ ପାଇଁ   ଗତ ୭ ବର୍ଷ ମଧ୍ୟରେ ଏକାଧିକ ଥର ବିଶ୍ୱର ବିଭିନ୍ନ ଦେଶ ଯାତ୍ରା କରିଥିବା ଶ୍ରୀ ପଣ୍ଡା ରାଜ୍ୟରେ ଫୁଟ୍‌ବଲ୍‌ ଖେଳର ବିକାଶ ନିମନ୍ତେ କୌଣସି ଆଖିଦୃଷିଆ ସଫଳତା ଆଣିପାରି ନଥିବା ଜଣାପଡ଼ିଛି । ଓଡ଼ିଶା ମହିଳା ଫୁଟବଲ ଦଳ ସାରା ଦେଶରେ ୧ ନଂ କିମ୍ବା ୨ ନଂ ସ୍ଥାନରେ ରହୁଥିଲା। ଶ୍ରୀ ପଣ୍ଡା ଏହି ଦଳର ଦାୟିତ୍ୱ ନେବାପରେ ସମ୍ପ୍ରତି ଦଳ ୧୦ ନଂ ଭିତରେ ବି ଆସୁନଥିବା ଜଣାପଡ଼ିଛି। ଜଣେ ଅନୁଭବୀ ଓ ଦକ୍ଷ ପ୍ରଶିକ୍ଷକଭାବେ ପରିଚୟ ସୃଷ୍ଟି କରିଥିବା ଶ୍ରୀ ପଣ୍ଡା ପ୍ରାଣୀଧନ ବିଭାଗ ନିଯୁକ୍ତିରୁ ୨୦୧୭ ମସିହାରୁ ଡେପୁଟେସନରେ ଆସି କ୍ରୀଡ଼ା ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ଓଡ଼ିଶାରେ ଫୁଟବଲ୍ ଖେଳର କୌଣସି ବଡ ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କିଭଳି ନହେବ ସେ ନେଇ ଶ୍ରୀ ପଣ୍ଡା ସର୍ବା ଚେଷ୍ଟିତ ରହିଆସିଛନ୍ତି। ଏହି କ୍ରମରେ ମହିଳା ଲିଗ୍ରେ ସ୍ପୋର୍ଟସ ଓଡ଼ିଶା ନ ଖେଳିବା ପଛରେ ମଧ୍ୟ ଶ୍ରୀ ପଣ୍ଡା ଙ୍କ ହାତ ଥିବା ନେଇ କିଛି ବରିଷ୍ଠ ପ୍ରଶିକ୍ଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବାର ୫ମାସ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ଶ୍ରୀ ପଣ୍ଡାଙ୍କ ଭଳି ଅଯୋଗ୍ୟ ଓ ନିକମା ବ୍ୟକ୍ତିମାନଙ୍କ ଉପରେ କେବେ ଓ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତାହା ଦେଖିବାକୁ ବାକି ରହିଲା। ଖୁବ୍‌ ଶୀଘ୍ର ଓଡ଼ିଶା କ୍ରୀଡ଼ା ବିଭାଗରେ ବିଭିନ୍ନ କ୍ରୀଡ଼ା ପାଇଁ ମୋଟା ଅଙ୍କରେ ଦରମା ନେଇ ନିଯୁକ୍ତି ପାଇଥିବା ଏହିଭଳି ଆଉ କିଛି ନିକମା ବାବୁମାନଙ୍କ ସମ୍ପର୍କରେ ଆମେ ଅନୁସନ୍ଧାନମୂଳକ ଖବର ପ୍ରକାଶ କରିବାକୁ ଯାଉଛୁ।   

Leave a Reply

Your email address will not be published. Required fields are marked *