ରଣ୍‌ଜି ଦ୍ୱିତୀୟ ରାଉଣ୍ଡ ଖେଳ ଶୁକ୍ରବାର: ଚାପରେ ଓଡ଼ିଶା ଦଳ

ରାଉରକେଲା: ଗତ ୧୧ ତାରିଖରୁ ଆରମ୍ଭ ହୋଇଛି ରଣଜି ଟ୍ରଫି ୨୦୨୪-୨୫ ସିଜନ୍ କ୍ରିକେଟ୍‌। ଏଥିରେ ଓଡ଼ିଶା ତାର ପ୍ରଥମ ମ୍ୟାଚ ତ୍ରିପୁରା ସହିତ ଭେଟିବାର ଘୋଷଣା ହୋଇଥିଲା, କିନ୍ତୁ ଏହା ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଏହା ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଆସନ୍ତା ୧୮ ତାରିଖରୁ କଟକର ବାରବାଟୀ ଷ୍ଟାଡିୟମ୍‌ରେ ରେ ଆରମ୍ବ ହେବାକୁ ଯାଉଛି ଏହି ସିଜିନର ଦ୍ୱିତୀୟ ରାଉଣ୍ଡ ବା ଦ୍ୱିତୀୟ ପର୍ଯ୍ୟାୟ। ତ୍ରିପୁରା ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା ଫଳରେ ଓଡ଼ିଶା ଖେଳାଳୀଙ୍କ ତ୍ରୁଟି ବିଚ୍ୟୁତି କିଛି ଜଣାପଡ଼ିଲା ନାହିଁ। ଏହି କ୍ରମରେ ୧୮ ତାରିଖରେ ଜାମ୍ମୁ – କାଶ୍ମୀର ଦଳ ସହିତ ଓଡ଼ିଶା ଭେଟିବାକୁ ଯାଉଛି। କିନ୍ତୁ ଏହି ଖେଳରେ ଶୁଭ୍ରାଂଶୁ ସେନାପତିଙ୍କ ଭଳି ନିର୍ଭର ଯୋଗ୍ୟ ବ୍ୟାଟର ନାହାଁନ୍ତି। ସେହିଭଳି ବୋଲିଂ ରେ ଗତ ସିଜିନ ରେ ଓଡ଼ିଶାର ଦଲର ପ୍ରଦର୍ଶନ ଆଶାନୁରୂପ ନଥିଲା। ଅନ୍ୟପକ୍ଷରେ ଏଥର ବ୍ୟାଟିଂ ରେ ଦଳର ସନ୍ଦୀପ ପଟ୍ଟନାୟକ, ଆଶୀର୍ବାଦ ସ୍ୱାଇଁ ଓ କାର୍ତ୍ତିକ ବିଶ୍ଵାଳ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।


ଅନ୍ୟପକ୍ଷରେ ଜାମ୍ମୁ – କାଶ୍ମୀର ଦଳ ମହାରାଷ୍ଟ୍ର ବିପକ୍ଷରେ ଚଳିତ ସିଜିନ ଆରମ୍ଭ କରି ଚମତ୍କାର ପ୍ରଦର୍ଶନ ଦ୍ଵାରା ମ୍ୟାଚ୍ ଅମିମାଂସିତ ରଖିଥିଲା। ଏହା ଯୋଗୁଁ ଦଳ ଅଗ୍ରଣୀ ଇନିଂସ୍ ପାଇଁ ୩ ପଏଣ୍ଟ ପାଇଥିଲା। ଗତ ଜାନୁୟାରୀ ୧୯ ତାରିଖରେ ଡ୍ରିମ୍ସ ଗ୍ରାଉଣ୍ଡ ରେ ଦୁଇ ଦଳ ମୁହାମୁହିଁ ହୋଇ ଜାମ୍ମୁ – କାଶ୍ମୀର ଦଳ ୨ ୱିକେଟ୍ ରେ ବିଜୟୀ ହୋଇଥିଲା। ଓଡ଼ିଶା ନୈରାଶ ଜନକ ବ୍ୟାଟିଂ ପାଇଁ ପରାଜୟର ସମ୍ମୁଖୀନ ହୋଇଥିଲା। ସମ୍ପ୍ରତି ଓଡ଼ିଶା ଦଳରେ ଥିବା ଖେଳାଳୀଙ୍କ ମଧ୍ୟରେ ଆପୋଷ ବୁଝାମଣାର ଅଭାବ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳର ଚୁଡାନ୍ତ ଏକାଦଶରେ କିଏ ରହିବ ତାକୁ ନେଇ ଆଲୋଚନା ଜାରି ରହିଥିଲାବେଳେ ସମୟ ସମୟରେ ଏହାକୁ ନେଇ ରାଜନୀତି ହେବାର ଉଦାହରଣ ଅନେକ ରହିଛି। କାରଣ ଓଡ଼ିଶା ଦଳ ମୁଖ୍ୟତଃ କଟକ କେନ୍ଦ୍ରୀକ ହୋଇଥିଲାବେଳେ ଚୁଡ଼ାନ୍ତ ଏକାଦଶରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ଖେଳାଳିମାନଙ୍କୁ ଆଖିଦୃଶିଆ ପ୍ରତିନିଧିତ୍ୱ ମିଳି ନଥାଏ। ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକଭାବେ ସୁରେନ୍ଦ୍ର ଭାବେଙ୍କର ଦାୟିତ୍ୱ କିପରି ରହୁଛି ତାହା ମଧ୍ୟ ଅନୁଧ୍ୟାନ ସାପେକ୍ଷ।

ଏଭଳି ସ୍ଥିତିରେ ଦେଶର ଜାତୀୟସ୍ତରରେ ଏକ ଖ୍ୟାତିସମ୍ପନ୍ନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟଭାବେ ପରିଚିତ ରଣ୍‌ଜି ଖେଳରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଏବଂ ଆଲୋଚନା। ଆସନ୍ତା କାଲି ଖେଳ ଆରମ୍ଭ ହେବା ପରେ ସମସ୍ତ ବିଷୟ ଜଣାପଡ଼ିବ।


ଓଡ଼ିଶା ଦଳ – ଗୋବିନ୍ଦ ପୋଦର୍(ଅଧିନାୟକ),ଶାନ୍ତନୁ ମିଶ୍ର,ଅନୁରାଗ ଷଡ଼ଙ୍ଗୀ,ସନ୍ଦୀପ ପଟ୍ଟନାୟକ,ବିପ୍ଳବ ସାମନ୍ତରାୟ,କାର୍ତ୍ତିକ ବିଶ୍ଵାଳ,ସ୍ଵସ୍ତିକ ସାମଲ,ରାଜେଶ୍ ଧୂପର(ୱିକେଟ୍ ରକ୍ଷକ) ,ଅନୀଲ ପରିଡ଼ା, ଆଶୀର୍ବାଦ ସ୍ୱାଇଁ (ୱିକେଟ୍ ରକ୍ଷକ), ସୂର୍ଯ୍ୟକାନ୍ତ ପ୍ରଧାନ,ସୁନିଲ କୁମାର ରାଉଳ,ରାଜେଶ୍ ମହାନ୍ତି,ଦେବବ୍ରତ ପ୍ରଧାନ, ତରଣୀ ସ, ହର୍ସିତ ରାଥୋଡ, ସୁମିତ୍ ଶର୍ମା।

(ରାଉରକେଲାରୁ ମ. ମିଶ୍ରଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published. Required fields are marked *